Latest Odisha News

ସ୍କୁଲ ସମସ୍ୟା ଭିଡିଓ କରି ମୋଦୀଙ୍କୁ ଜଣାଇଥିଲେ କୁନି ଝିଅ, ଏବେ ଆରମ୍ଭ ହେଲା ନବୀକରଣ କାମ

ଶ୍ରୀନଗର: ଜମ୍ମୁ କଶ୍ମୀରର କଠୁଆରେ ନିଜ ସ୍କୁଲରେ ମୌଳିକ ସୁବିଧା ନଥିବା କହି ଜଣେ ତୃତୀୟ ଶ୍ରେଣୀର ଛାତ୍ରୀ ଏକ ଭିଡିଓ କରିଥିଲେ। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରି ତାଙ୍କ ସ୍କୁଲକୁ ସଜାଡିବାକୁ ନିବେଦନ କରିଥିଲେ। ଆଉ ଏହାର ଭିଡିଓ ଭାଇରାଲ ହେବା ପରେ ଜମ୍ମୁ କଶ୍ମୀର ପ୍ରଶାସନ ସ୍କୁଲ ନବୀକରଣ କାମ ଆରମ୍ଭ କରିଛି।

ଭିଡିଓରେ ସୀରତ ନାଜ ଏକ ଚାରି ମିନିଟର ବାର୍ତ୍ତା ଦେଇଥିଲେ। ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା। ପରେ ଜମ୍ମୁର ସ୍କୁଲ ଶିକ୍ଷା ନିର୍ଦ୍ଦେଶକ ରବିଶଙ୍କର ଶର୍ମା ଦୁର୍ଗମ ଅଞ୍ଚଳ ଲୋହାଇ-ମଲ୍ହାର ବ୍ଲକ ଆସି ସରକାରୀ ସ୍କୁଲ ପରିଦର୍ଶନ କରିଥିଲେ। ଆଉ ଏହାପରେ ସ୍କୁଲ କାମ ଆରମ୍ଭ ହୋଇଛି।

ଝିଅଟି ଭିଡିଓ କରିବା ବେଳେ ସ୍କୁଲର ଜରାଜୀର୍ଣ୍ଣ ଅବସ୍ଥାକୁ ସେୟାର କରିଛନ୍ତି। ଛାତ୍ରୀମାନେ ବାଧ୍ୟ ହୋଇ ତଳେ ବସି ପାଠ ପଢୁଛନ୍ତି, ଯାହାକି ଅପରିସ୍କାର ରହିଛି। ତେଣୁ ଡେସ୍କ ବେଞ୍ଚ ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ। ତଳେ ବସିବାରୁ ୟୁନିଫର୍ମରେ ଦାଗ ଲାଗିଯାଉଛି ବୋଲି ସେ କହିଛନ୍ତି। ଶୌଚାଳୟର ଖରାପ ଅବସ୍ଥା ଉପରେ ଆଲୋକପାତ କରିଥିଲେ, ଆଉ ଅଧାପନ୍ତରିଆ କୋଠା ନିର୍ମାଣ କାମ ଆଦି ସମସ୍ଯା କଥା କହି ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣାଇବାକୁ ଚେଷ୍ଟା କରିଥିଲେ।

ଏହାପରେ ସ୍କୁଲର ନିର୍ଦ୍ଦେଶକ ରବିଶଙ୍କର ଶର୍ମା ସ୍କୁଲ ପରିଦର୍ଶନ କରିଥିଲେ। ସ୍କୁଲ ପରିଦର୍ଶନ ପରେ ସେ କହିଛନ୍ତି, ସ୍କୁଲକୁ ଅତ୍ୟାଧୁନିକ ଲାଇନରେ ଅପଗ୍ରେଡ କରିବା ପାଇଁ 91 ଲକ୍ଷ ଟଙ୍କାର ଏକ ପ୍ରକଳ୍ପ ମଞ୍ଜୁର ହୋଇଥିଲା କିନ୍ତୁ ପ୍ରଶାସନିକ ଅନୁମୋଦନ ସମ୍ପର୍କିତ କିଛି ସମସ୍ୟା ଯୋଗୁଁ କାମ ଅଟକି ରହିଥିଲା। ଏବେ ଏହାକୁ ସଜାଡିବା ସହ କାମ ଚାଲିଛି।

ଅଧିକାରୀ ଜଣକ କହିଛନ୍ତି ଯେ କେନ୍ଦ୍ର ଶାସିତ ପ୍ରଦେଶର ଦୁର୍ଗମ ଅଞ୍ଚଳରେ ଶହ ଶହ ସ୍କୁଲ ଚାଲିଛି ଏବଂ ଏହି ସବୁ ସ୍କୁଲରେ ଉପଯୁକ୍ତ ଏବଂ ଅତ୍ୟାଧୁନିକ ସୁବିଧା ସୁନିଶ୍ଚିତ କରିବା ପାଇଁ ସରକାର ପୂର୍ବରୁ ଏକ ବିସ୍ତୃତ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି।

ଏବେ ଗ୍ରାମବାସୀମାନେ ମଧ୍ୟ ବିଦ୍ୟାଳୟର ନବୀକରଣକୁ ନେଇ ଖୁସି ଅଛନ୍ତି ଏବଂ ଆଶା ପ୍ରକାଶ କରିଛନ୍ତି ଯେ ସହରାଞ୍ଚଳରେ ବିଦ୍ୟାଳୟ ଭଳି ଏହାକୁ ଆଧୁନିକ ଢାଞ୍ଚାରେ ବିକଶିତ କରାଯିବ।

ଏବେ ବିଦ୍ୟାଳୟର ନିର୍ମାଣ କାମ ଆରମ୍ଭ ହେବା ପରେ ନାଜ ଏହି ଭିଡିଓ ସେୟାର କରିଛନ୍ତି। ସେ କହିଛନ୍ତି, ‘ମୁଁ ଆପଣଙ୍କୁ ଭିଡିଓ ପଠାଇଥିଲି, ଆପଣ ଆମ ସ୍କୁଲରେ କାମ କରିବା ଆରମ୍ଭ କରିଛନ୍ତି। ମୁଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। ଲଭ୍ ୟୁ ମୋଦୀ ଜି’।

Comments are closed.