କଳ୍ପନା ଚାୱଲା
କଳ୍ପନା ଚାୱଲା | |
---|---|
ଜନ୍ମ | ମାର୍ଚ୍ଚ ୧୭, ୧୯୬୨ କର୍ଣ୍ଣଲ, ପଞ୍ଜାବ, ଭାରତ (ବର୍ତ୍ତମାନ ର ହରିୟାଣା, ଭାରତ) |
ମୃତ୍ୟୁ | ୧ ଫେବୃଆରୀ ୨୦୦୩ Aboard Space Shuttle Columbia over Texas, U.S. | (ବୟସ ୪୦)
Alma mater | Punjab Engineering College University of Texas at Arlington University of Colorado at Boulder |
Time in space | ୩୧ ଦିନ, ୧୪ ଘଣ୍ଟା, ୫୪ ମିନିଟ୍[୧] |
Selection | 1994 NASA Group |
ଅଭିଯାନ | STS-87, STS-107 |
Mission insignia | |
ପୁରସ୍କାର |
କଳ୍ପନା ଚାୱଲା (ମାର୍ଚ୍ଚ ୧୭, ୧୯୬୨[୨][୩] – ଫେବୃଆରୀ ୧, ୨୦୦୩) ହେଉଛନ୍ତି ଭାରତ ରେ ଜନ୍ମିତ ପ୍ରଥମ ମହିଳା ମହାକାଶଚାରୀ ।[୩] ସେ ୧୯୯୭ ମସିହା ରେ ପ୍ରଥମ ଥର ପାଇଁ କଲମ୍ବିଆ ମହାକାଶଯାନ ରେ ମହାକାଶ କୁ ଯାତ୍ରା କରିଥିଲେ। ଏହି ମହାକାଶ ଯାନ ରେ ସେ mission specialist ଏବଂ primary robotic arm operator ଭାବେ ଯାଇଥିଲେ। ୨୦୦୩ ମସିହା ରେ କଲମ୍ବିଆ ମହାକାଶଯାନ ଦୁର୍ଘଟଣା (Space Shuttle Columbia disaster) ରେ ପ୍ରାଣ ହରାଇ ଥିବା ସାତ ଜଣ ମହାକାଶଚାରୀ ଙ୍କ ମଧ୍ୟରେ କଳ୍ପନା ଅନ୍ୟତମ।[୪] ସେ ପଞ୍ଜାବ ଇଞ୍ଜିନିୟରିଂ କଲେଜରୁ ଏରୋନଟିକାଲ୍ ଇଞ୍ଜିନିୟରିଂ ରେ ସ୍ନାତକ ଡିଗ୍ରୀ ଏବଂ ଆମେରିକା ର ଟେକ୍ସାସ ୟୁନିଭର୍ସିଟିରୁ ଏରୋସ୍ପେଶ ଇଞ୍ଜିନିୟରିଂ ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।୧୯୮୮ ରେ ସେ ଆମେରିକା ର କଲରାଡୋ ୟୁନିଭର୍ସିଟିରୁ ପି.ଏଚ୍.ଡି. ଡିଗ୍ରୀ ହାସଲ କରିଥିଲେ ।[୫] "ନାସା" ରେ ଯୋଗ ଦେବାପରେ ସେ ଜିନ୍-ପେରୀ ହ୍ୟାରିସନ ଙ୍କ ସହ ବିବାହ ବନ୍ଧନରେ ଆବନ୍ଧ ହୋଇଥିଲେ । ୧୯୯୭ ନଭେମ୍ବର ୧୯ ରେ ମହାକାଶକୁ ଯାତ୍ରାକରି ସେ ଭାରତ ରେ ଜନ୍ମିତ ପ୍ରଥମ ମହିଳା ମହାକାଶଚାରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ।[୬] ପୁନଶ୍ଚ ୨୦୦୩ ରେ କଲମ୍ବିଆ ମହାକାଶଯାନ ଯୋଗେ ଅନ୍ତରୀକ୍ଷକୁ ଯାତ୍ରା କରିଥିଲେ। କିନ୍ତୁ ପୃଥିବୀ କୁ ଫେରିବା ବାଟରେ ଅର୍ଥାତ ୨୦୦୩ ଫେବୃୟାରୀ ୧ ରେ ସେହି ମହାକାଶଯାନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଏବଂ କଳ୍ପନା ସେହି ମହାକାଶରେ ହିଁ ଲୀନ ହୋଇଯାଇଥିଲେ ı[୭] ତେବେ ତାଙ୍କର ସ୍ମୃତିରେ ଆମ ଦେଶର ପ୍ରଥମ ପାଣିପାଗ ସମ୍ପର୍କିତ ସୂଚନା ଦେଉଥିବା କୃତ୍ରିମ ଉପଗ୍ରହକୁ "କଳ୍ପନା-୧" ନାମରେ ନାମିତ କରାଯାଇଛି ı[୮]
ଜନ୍ମ ଏବଂ ପରିବାର
କଳ୍ପନା ଚାୱଲା ୧୯୬୨ ମହିହା ମାର୍ଚ୍ଚ ମାସ ୧୭ ତାରିଖ ରେ ହରିୟାଣା ର କର୍ଣ୍ଣଲ ସହରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ଙ୍କ ନାମ ଥିଲା ବନାରସୀ ଲାଲ୍ ଚାୱଲା ଏବଂ ମାତା ଙ୍କ ନାମ ଥିଲା ସଂଜ୍ୟୋତୀ। ସେ ଚାରି ଭାଇ ଭଉଣୀ ଥିଲେ। କଳ୍ପନା ତାଙ୍କ ପରିବାର ରେ ସବୁଠାରୁ ସାନ ଥିଲେ ଏବଂ ତାଙ୍କର ଦୁଇ ଭଉଣୀ ଓ ଜଣେ ଭାଇ ଥିଲେ। ଭାରତ-ପାକିସ୍ତାନ ବିଭାଜନ ସମୟ ରେ ହୋଇଥିବା ଦଙ୍ଗା ରେ ତାଙ୍କ ପିତା ଙ୍କ ପୂର୍ବପୁରୁଷ ମାନେ ପାକିସ୍ତାନ ରୁ ଭାରତ ଚାଲି ଆସିଥିଲେ। ସେତେବେଳେ ସେମାନଙ୍କ ପାଖରେ କେବଳ ଆଶା ଏବଂ ବିଶ୍ୱାସ ଛଡ଼ା ଅନ୍ୟ କୌଣସି ମୂଲ୍ୟବାନ ସାମଗ୍ରୀ ନ ଥିଲା। ପିଲାବେଳେ କଳ୍ପନା ଙ୍କ ଡାକ ନାମ ମଣ୍ଟୁ ଥିଲା। ତାଙ୍କ ଜନ୍ମ ସମୟ ରେ ତାଙ୍କ ପରିବାର ଆର୍ଥିକ କ୍ଷେତ୍ର ରେ ସ୍ୱଚ୍ଛଳ ଥିଲା। ତେବେ କଳ୍ପନା ଏବଂ ତାଙ୍କ ଭାଇ-ଭଉଣୀ ମାନଙ୍କର କଠିନ ପରିଶ୍ରମ ତଥା ଅଧ୍ୟବସାୟ ବଳରେ ତାଙ୍କ ପରିବାର ର ଅବସ୍ଥା ଉନ୍ନତ ରୁ ଉନ୍ନତତର ହୋଇଯାଇଥିଲା। ୨୦୦୩ ମସିହା ରେ କଲମ୍ବିଆ ମହାକାଶଯାନ ରେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ସେ India Today ଖବର କାଗଜ କୁ ଏକ ସାକ୍ଷାତକାର ଦେଇ କହିଥିଲେ, "କଠିନ ପରିଶ୍ରମ ଦ୍ୱାରା ଜୀବନ ରେ ସବୁ ପ୍ରକାର ପରିସ୍ଥିତି ରେ ବିଜୟ ଲାଭ କରାଯାଇ ପାରେ ବୋଲି ତାଙ୍କ ପରିବାର ର ସମସ୍ତେ ବିଶ୍ୱାସ କରନ୍ତି। ତାଙ୍କ ପରିବାର ର ଏହି ଦୃଷ୍ଟିକୋଣ ହିଁ ତାଙ୍କୁ ସବୁ ବାଧା ସତ୍ତ୍ୱେ ନିଜ ସ୍ୱପ୍ନ କୁ ଅନୁସରଣ କରିବାକୁ ପ୍ରେରଣା ଯୋଗାଇଛି।" କଳ୍ପନା ଙ୍କ ପରିବାର ର ସାହସ ଏବଂ ଶିକ୍ଷା କିପରି ତାଙ୍କ ଯୁବ ମାନସିକତା ଉପରେ ଗଭୀର ପ୍ରଭାବ ପକାଇଥିଲା, ଏହା ତାଙ୍କର ଏହି ଉକ୍ତି ରୁ ସ୍ପଷ୍ଟ ଭାବେ ଜଣାଯାଏ।
ବାଲ୍ୟକାଳ ଏବଂ ପ୍ରାରମ୍ଭିକ ଶିକ୍ଷା
ସେ ସମୟ ରେ ଝିଅ ତଥା ମହିଳା ମାନଙ୍କୁ ନେଇ କର୍ଣ୍ଣଲ ର ଲୋକ ମାନେ ଖୁବ୍ ରକ୍ଷଣଶୀଳ ମନୋଭାବ ପୋଷଣ କରୁଥିଲେ। କିନ୍ତୁ ପୁଅ ହେଉ ବା ଝିଅ, ବନାରସୀ ଲାଲ୍ ଚାୱଲା ନିଜ ପିଲା ମାନଙ୍କ ଶିକ୍ଷା କୁ ନେଇ ବେଶ୍ ଯତ୍ନବାନ ଥିଲେ। କଳ୍ପନା ଙ୍କ ମା' ସଂଜ୍ୟୋତୀ ନିଜ ଝିଅ ମାନଙ୍କୁ ସବୁ ପ୍ରକାର ର ସହାୟତା ଓ ସମର୍ଥନ ଯୋଗାଇ ଦେଉଥିଲେ ଏବଂ ସର୍ବଦା ନିଜ ସ୍ୱପ୍ନ ତଥା ଲକ୍ଷ୍ୟ ଦିଗ ରେ ଅଗ୍ରସର ହେବା ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରୁଥିଲେ।
କଳ୍ପନା ନିଜ ଘର ପାଖ ବିଦ୍ୟାଳୟ ଟାଗୋର୍ ବାଲ୍ ନିକେତନ୍ ଠାରେ ନିଜର ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରିଥିଲେ। ତାଙ୍କ ଶିକ୍ଷକ, ବନ୍ଧୁ ତଥା ପରିଚିତ ବ୍ୟକ୍ତି ମାନଙ୍କ ମତ ରେ ସେ ଜଣେ ଶାନ୍ତ ଶିଷ୍ଟ କିନ୍ତୁ ଖୁସ୍ ମିଜାଜ୍ ର ଝିଅ ଥିଲେ। ବିଭିନ୍ନ ସାହାସିକ ପଦକ୍ଷେପ ନେବାରେ ତାଙ୍କର ବିଶେଷ ରୁଚି ଥିଲା। ଖୁବ୍ କମ୍ ବୟସରେ ମଧ୍ୟ କଳ୍ପନାଙ୍କର ସୁନ୍ଦର ଆଖି, ଉଜ୍ଜ୍ୱଳ ହସ ତଥା ନିଜ କାର୍ଯ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ଏବଂ ସମାଜ ପାଇଁ କିଛି କରିବାର ଅଦମ୍ୟ ଇଚ୍ଛା ଅନ୍ୟ ମାନଙ୍କୁ ବଶୀଭୂତ କରିପାରୁଥିଲା। ନିଜର ତୀକ୍ଷ୍ଣ ବୁଦ୍ଧି ଏବଂ ଚତୁରତା ଯୋଗୁଁ ସେ ସର୍ବଦା ଶ୍ରେଣୀ ର ପ୍ରଥମ ପାଞ୍ଚ ଜଣ ବିଦ୍ୟାର୍ଥୀ ଙ୍କ ମଧ୍ୟରେ ରହୁଥିଲେ। ସେ ଯେ କେବଳ ସୁନ୍ଦର ଓ କଠିନ ପରିଶ୍ରମୀ ଥିଲେ ତାହା ନୁହେଁ, ସେ ମଜା ମସ୍ତି କୁ ମଧ୍ୟ ଖୁବ୍ ଭଲ ପାଉଥିଲେ। ତାଙ୍କର ଏହି ମଜା ମସ୍ତି କରିବା ଅଭ୍ୟାସ ପାଇଁ ସେ ନିଜ ସାଙ୍ଗ ମାନଙ୍କ ସହ ଯାଉଥିବା ବଣଭୋଜି ଗୁଡ଼ିକୁ ଅତ୍ୟନ୍ତ ଉପଭୋଗ୍ୟ କରିପାରୁଥିଲେ। ଯେ କୌଣସି କାମ କରିବା ପାଇଁ କଳ୍ପନା ଉତ୍ସାହର ସହ ଆଗଭର ହୋଇ ବାହାରି ପଡ଼ୁଥିଲେ। ମାତ୍ର ୧୪ ବର୍ଷ ବୟସ ରେ ସେ କାର୍ ଚଳାଇବା ଶିଖିଯାଇଥିଲେ।
କଳ୍ପନା ଙ୍କୁ ଆରମ୍ଭ ରୁ ଉଡ଼ାଜାହାଜ ଖୁବ୍ ଭଲ ଲାଗୁଥିଲା। ସେ ବିଦ୍ୟାଳୟ ରେ ଚିତ୍ରାଙ୍କନ ଏବଂ ହସ୍ତ ଶିଳ୍ପ ଶ୍ରେଣୀ ଗୁଡ଼ିକରେ ପ୍ରାୟତଃ ଉଡ଼ାଜାହାଜ ର ଚିତ୍ର ଓ ମଡେଲ୍ ତିଆରି କରୁଥିଲେ। ବିଦ୍ୟାଳୟ ରୁ ଘରକୁ ଫେରିଲା ବେଳେ ପ୍ରାୟ ସମୟ ସେ ନିଜ ସାଇକେଲ୍ ରଖିଦେଇ ଘଣ୍ଟା ଘଣ୍ଟା ବସି ପ୍ରଶିକ୍ଷଣ ଦେବା ବ୍ୟବହାର କରାଯାଉଥିବା ଉଡ଼ାଜାହାଜ ଗୁଡ଼ିକୁ ଆକାଶ ରେ ଉଡ଼ିବାର (take off) ଏବଂ ତଳକୁ ଓହ୍ଲାଇବାର (land) ଦୃଶ୍ୟ ଦେଖୁଥିଲେ। ଏହି ଦୃଶ୍ୟ ଦେଖିବା ସମୟରେ ସେ ଅତ୍ୟନ୍ତ ଆନନ୍ଦିତ ତଥା ଉତ୍ଫୁଲ୍ଲିତ ହୋଇଯାଉଥିଲେ। ଉଡ଼ାଜାହାଜ ପ୍ରତି ତାଙ୍କର ରୁଚି କୁ ଦେଖି ତାଙ୍କ ବାପା ଅନେକ ସମୟରେ ତାଙ୍କୁ ପ୍ରଶିକ୍ଷକ ଉଡ଼ାଜାହାଜ ଗୁଡ଼ିକରେ ବସାଇବା ପାଇଁ ସ୍ଥାନୀୟ ଉଡ଼ାଜାହାଜ ଚାଳକ ସଂଘ କୁ ନେଇ ଯାଉଥିଲେ। ଗ୍ରୀଷ୍ମ ଋତୁ ରେ ରାତି ର ତାରକା ବିମଣ୍ଡିତ ସୀମାହୀନ ଆକାଶ କୁ ଦେଖିବା କଳ୍ପନାଙ୍କର ସବୁଠାରୁ ପ୍ରିୟ ରୁଚି ଥିଲା। ଆକାଶ ଗଙ୍ଗା (The Milky Way) ଏବଂ ବେଳେ ବେଳେ ଆକାଶରେ ଦୃଶ୍ୟମାନ ହେଉଥିବା ଉଲ୍କା ପିଣ୍ଡ (The Shooting Star) ତାଙ୍କ ମନକୁ ଆଶ୍ଚର୍ଯ୍ୟ ଓ ଅନଂଖ୍ୟ ପ୍ରଶ୍ନ ରେ ଭରି ଦେଉଥିଲା। କଳ୍ପନା ଯେ ଦିନେ ବଡ଼ ହେଲେ ସୀମାହୀନ ନୀଳ ଆକାଶକୁ ଛୁଇଁବାକୁ ଚେଷ୍ଟା କରିବେ, ଏହା ତାଙ୍କ ବାଲ୍ୟକାଳ ର ରୁଚି ମାନଙ୍କରୁ ହିଁ ଜଣା ପଡ଼ୁଥିଲା।
ଆଧାର
- ↑ "Life facts". NASA. Retrieved February 27, 2014.
- ↑ Salwi, Dilip M (20 February 2004). "Did you know Kalpana was called Monto?". Rediff.com. Archived from the original on 7 May 2004. Retrieved 19 March 2016.
- ↑ ୩.୦ ୩.୧ Basu, Biman (May 2012). "Book Review: Biography of Kalpana Chawla" (PDF). Science Reporter. pp. 40–41. Retrieved 2013-07-06.
Born on 17 March 1962 in Karnal, Haryana
- ↑ "Kalpana Chawla". Retrieved 2012-05-24.
- ↑ Salim Rizvi (December 11, 2006). "Indo-US astronaut follows Kalpana's footsteps". New York: BBC. Retrieved November 20, 2012.
Almost four years after the death of the first Indian-American astronaut Kalpana Chawla in the Columbia space shuttle disaster, Nasa has sent another woman of Indian origin into space.
- ↑ Chawla, Kalpana (1984), MS Thesis Optimization of cross flow fan housing for airplane wing installation., University of Texas at Arlington, p. 97
- ↑ http://www.preservearticles.com/201103034359/biography-of-indian-astronaut-kalpana-chawla.html
- ↑ http://kalpanachawla.tripod.com/id16.html
ବାହାର ଲିଙ୍କ
- Kalpana Chawla Family Foundation
- Celebrating Life of Kalpana Chawla
- Kalpana Chawla Excellence Awards 2012
- Kalpana Chawla profile in India Currents 1998