Jump to content

ଚଷମା ଆଖି ପକ୍ଷୀ

ଉଇକିପିଡ଼ିଆ‌ରୁ

ଚଷମା ଆଖି ପକ୍ଷୀ
ଚଷମା ଆଖି ପକ୍ଷୀର ଡାକ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Charadriiformes
Family: Burhinidae
Genus: Burhinus
ଜାତି: B. indicus
ବାଇନୋମିଆଲ ନାମ
Burhinus indicus
ତୋମ୍ମାସୋ ସାଲ୍‍ଭାଡୋରି, ୧୮୬୫
Synonyms
  • Oedicnemus indicus
  • Burhinus oedicnemus indicus

ଚଷମା ଆଖି ଚଢ଼େଇ (ଇଂରାଜୀରେ Indian stone-curlew ବା Indian thick-knee, ଜୀବବିଜ୍ଞାନ ନାମ Burhinus indicus) ବର୍ହିନିଡେ ପରିବାରର ଏକ ସଦସ୍ୟ ପକ୍ଷୀ । ପ୍ରଥମେ ଏହାକୁ ୟୁରେସୀୟ ଚଷମା ଆଖି ପକ୍ଷୀର ଏକ ଉପପ୍ରଜାତି କୁହାଯାଉଥିଲା । ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆର ସମତଳ ଅଞ୍ଚଳରେ ଏହି ପକ୍ଷୀ ପରିଲକ୍ଷିତ ହୋଇଥାଏ । ଚଷମା ଆଖି ପକ୍ଷୀର ଆଖିଗୁଡ଼ିକ ବଡ଼ । ଏହାର ଦେହ ମାଟିଆ ଓ ଫିକା ହଳଦିଆ ରଙ୍ଗର ହୋଇଥିବାରୁ ମାଟି ଓ ପଥର ପ୍ରଚ୍ଛଦରେ ଅପୂର୍ବ ଛଳାବରଣ ସୃଷ୍ଟି ହୋଇ ଏହି ପକ୍ଷୀକୁ ଠାବ କରିବା ଅତି କଷ୍ଟକର ହୋଇଥାଏ । ଏହି ପକ୍ଷୀ ଅନ୍ଧାରରେ ଅଧିକ ସକ୍ରିୟ । ଚଷମା ଆଖି ପକ୍ଷୀର ଡାକରୁ ଏହାର ଇଂରାଜୀ ନାମ curlewର ସୃଷ୍ଟି । ଓଡ଼ିଶାରେ ଲୋକେ ଏହି ପକ୍ଷୀକୁ ରାମା ଚଢ଼େଇବରସିରି ନାମରେ ମଧ୍ୟ ଡାକିଥାନ୍ତି ।

ବିବରଣୀ

[ସମ୍ପାଦନା]
ଚଷମା ଆଖି ପକ୍ଷୀର ବଡ଼ ଆଖି ଏହାର ରାତ୍ରିଚର ପ୍ରବୃତ୍ତିର ସୂଚକ

ମାଟିଆ ରଙ୍ଗର ଏହି ଭୂମିଚର ପକ୍ଷୀର ଆଖି ହଳଦିଆ ରଙ୍ଗର, ବଡ଼ ଓ ପ୍ରାୟ ୪୧ ସେଣ୍ଟିମିଟର୍ ଲମ୍ବା । ଏହାର ବାଲି ମାଟି ପରି ରଙ୍ଗର ଶରୀରରେ କଳା ଚିହ୍ନ ସବୁ ରହିଥାଏ । ଅନ୍ୟ ପକ୍ଷୀଙ୍କ ତୁଳନାରେ ମୁଣ୍ଡଟି ଅପେକ୍ଷାକୃତ ବଡ଼ ଓ ଆଖିର ଚାରିପଟେ ଧଳା ବା ହଳଦି ରଙ୍ଗର ପଟି ରହିଥାଏ । ଏହି ପଟି ଭ୍ରୁଲତା ପରି ପତଳା ।[] ଆଖି ପାଖର ଦାଗ ସବୁ ଧଳା-ହଳଦି ଚଷମା [] ପରି ଭ୍ରମ ସୃଷ୍ଟି କରୁଥିବାରୁ ଓଡ଼ିଶାରେ ଏହି ପକ୍ଷୀର ସ୍ଥାନୀୟ ନାମ ‘ଚଷମା ଆଖି ପକ୍ଷୀ’ । ଚଷମା ଆଖି ପକ୍ଷୀର ଗୋଡ଼ଗୁଡ଼ିକ ସବଳ ଓ ଏହାର ଆଣ୍ଠୁଟି ମୋଟା ହୋଇଥାଏ । ଏହି କାରଣରୁ ଇଂରାଜୀ ଭାଷାରେ ଏହାର ଆଉ ଏକ ସାଧାରଣ ନାମ ହେଲା "thick-knee" (ମୋଟା ଆଣ୍ଠୁଆ) । ମାଈ ଓ ଅଣ୍ଡିରା ପକ୍ଷୀର ଗଠନରେ କୌଣସି ପାର୍ଥକ୍ୟ ଦେଖାଯାଏ ନାହିଁ । ଶୈଶବାବସ୍ଥାରେ ଶରୀରର ରଙ୍ଗ ସାମାନ୍ୟ ଫିକା ହୋଇଥାଏ । ଉଡ଼ନ୍ତା ଅବସ୍ଥାରେ ଏହି ପକ୍ଷୀର ଡେଣାର ଧଳା ଦାଗ ଓ ପଟି ସ୍ପଷ୍ଟ ଭାବେ ଦେଖାଯାଏ । ସ୍ଥିତାବସ୍ଥାରେ ଡେଣାରେ ଅବସନ୍ନ ପୀତ ରଙ୍ଗର ପଟି ଦିଶେ ।[][]

ଏହି ପକ୍ଷୀ ଭୋର ବା ପାହାନ୍ତା ଓ ଗୋଧୂଳି ସମୟରେ ସର୍ବାଧିକ ସକ୍ରିୟ ଥାଏ । ଆଖି ଚଷମା ପକ୍ଷୀ ପ୍ରାୟତଃ ରାତି ବେଳେ ଡାକ ପକାଇଥାଏ । ତୀବ୍ର ସ୍ୱରର ପିକ୍-ପିକ୍-ପିକ୍-ପିକ୍ ଡାକ ବେଳେବେଳେ ପିକ୍-ୱିକ୍, ପିକ୍-ୱିକ୍ ଡାକରେ ସମାପ୍ତ ହୁଏ । ଚଷମା ଆଖି ପକ୍ଷୀ ଛୋଟ ଦଳରେ ରହିବା ଦେଖାଯାଏ । ଦିନବେଳେ ଏମାନେ ବୁଦା ମୂଳର ଛାଇରେ ଲୁଚି ଛିଡ଼ା ହୋଇ ରହିଥାନ୍ତି ।[]

ଚଷମା ପରି ଆଖି

ବର୍ଗୀକରଣ

[ସମ୍ପାଦନା]

ଭାରତୀୟ ଚଷମା ଆଖି ପକ୍ଷୀକୁ ପ୍ରଥମେ ୟୁରେସୀୟ ଚଷମା ଆଖି ପକ୍ଷୀର (Burhinus oedicnemus) ଏକ ଉପପ୍ରଜାତି ବୋଲି ବିବେଚନା କରାଯାଉଥିଲା । କିନ୍ତୁ ଭାରତୀୟ ଚଷମା ଆଖି ପକ୍ଷୀର ଦେହର ରଙ୍ଗ ଅନ୍ୟ ପ୍ରଜାତିର ଚଷମା ଆଖି ପକ୍ଷୀଙ୍କଠାରୁ ସ୍ୱତନ୍ତ୍ର । ପୁଣି ଭାରତୀୟ ଚଷମା ଆଖି ପ୍ରବାସ କରନ୍ତି ନାହିଁ ଓ ନିଜ ଅଧିବାସ ମଧ୍ୟରେ ବିଚରଣ କରିଥାନ୍ତି । ଏହି ସବୁ ତଥ୍ୟକୁ ଭିତ୍ତି କରି ୨୦୦୫ ମସିହାରେ ପାମେଲା ରାସ୍ମୁସେନ୍ ଭାରତୀୟ ଉପମହାଦେଶର ଚଷମା ଆଖି ପକ୍ଷୀକୁ ଏକ ସ୍ୱତନ୍ତ୍ର ପ୍ରଜାତି ରୂପେ ପରିଗଣନା କରିଥିଲେ ।[] କିନ୍ତୁ ଏହି ପକ୍ଷୀ ଉପରେ କୌଣସି ବଡ଼ ଧରଣର ପଲିଜେନେଟିକ୍ ଶୌଧ କରାଯାଇନାହିଁ ।

ପରିବାସ

[ସମ୍ପାଦନା]

ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟ, କଣ୍ଟାବୁଦା ଜଙ୍ଗଲ, ବୁଦାଳିଆ ନଦୀଶଯ୍ୟା, ତୋଟା ଓ ବଗିଚା ଇତ୍ୟାଦି ସ୍ଥାନ ଚଷମା ଆଖି ପକ୍ଷୀଙ୍କ ରହିବା ସ୍ଥାନ ।[]

ଭୌଗୋଳିକ ବିତରଣ

[ସମ୍ପାଦନା]
ବୟସ୍କ ଓ ଛୁଆ ଚଷମା ଆଖି ପକ୍ଷୀ

ଚଷମା ଆଖି ପକ୍ଷୀର ଭାରତୀୟ ପ୍ରଜାତି ମୁଖ୍ୟତଃ ବଙ୍ଗଳାଦେଶ, ଭୁଟାନ, କାମ୍ବୋଡ଼ିଆ, ଭାରତ, ଲାଓସ୍, ବ୍ରହ୍ମଦେଶ, ନେପାଳ, ପାକିସ୍ତାନ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ୍ ଓ ଭିଏତ୍‍ନାମ[] ଇତ୍ୟାଦି ଦେଶରେ ଦେଖାଯାନ୍ତି । ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟ, ବୁଦାଳିଆ ଜଙ୍ଗଲ, ପଥୁରିଆ ପାହାଡ଼ କଡ଼ ପରି ସ୍ଥାନ ଏମାନଙ୍କ ପାଇଁ ଉତ୍ତମ ଅଧିବାସ ।[]

ବୁଦା ତଳେ ଲୁଚି ରହିଥିବା ଚଷମା ଆଖି ପକ୍ଷୀ

ପ୍ରଜନନ

[ସମ୍ପାଦନା]

ମାର୍ଚ୍ଚ ଓ ଅପ୍ରେଲ୍ ମାସ ଚଷମା ଆଖି ପକ୍ଷୀଙ୍କ ମୁଖ୍ୟ ପ୍ରଜନନ ସମୟ । ଖୋଲା ଭୂମିରେ ନିର୍ମିତ ଖାଲୁଆ ବସାରେ ବା ବୁଦା ମୂଳରେ ଏମାନେ ୨ରୁ ୩ଟି ଅଣ୍ଡା ଦିଅନ୍ତି । ଅଣ୍ଡାଗୁଡ଼ିକର ରଙ୍ଗ ପଥର ସହିତ ପ୍ରାୟ ମିଶିଯାଏ । ମାଈ ଚଢ଼େଇ ମୁଖ୍ୟତଃ ଅଣ୍ଡା ଉଷୁମାଇବା ଦାୟିତ୍ୱ ନିଏ ଏବଂ ଅଣ୍ଡିରା ଚଢ଼େଇ ପାଖରେ ଅଣ୍ଡାମାନଙ୍କୁ ଜଗି ରହିଥାଏ । ଅଣ୍ଡା ଫୁଟି ଛୁଆ ବାହାରିବା ପରେ ସେମାନେ ତୁରନ୍ତ ପିତାମାତାଙ୍କ ପଛରେ ଚାଲି ବୁଲିବା ଆରମ୍ଭ କରିଦେଇଥାନ୍ତି । ଛୁଆମାନଙ୍କ ଦେହର ରଙ୍ଗ ମଧ୍ୟ ଛଳାବରଣ ପୂର୍ଣ୍ଣ ହୋଇଥାଏ । ବିପଦ ସଙ୍କେତ ମିଳିଲେ ଛୁଆମାନେ ନିଶ୍ଚଳ ଭାବେ ଛିଡ଼ା ହୋଇଯାନ୍ତି ବା ଭୂମିରେ ବସି ପଡ଼ନ୍ତି । ଦେହର ଛଳାବରଣ ଯୋଗୁଁ ସେମାନଙ୍କୁ ସହଜରେ ଠଉରାଇ ହୁଏ ନାହିଁ ।[]

ବିଭିନ୍ନ ପ୍ରକାରର କୀଟପତଙ୍ଗ, ଜିଆ, କେଞ୍ଚୁଆ, କ୍ଷୁଦ୍ର ସରୀସୃପ ଓ ଭୂପତିତ ବିଭିନ୍ନ ଫଳର ମଞ୍ଜି ଇତ୍ୟାଦି ଚଷମା ଆଖି ପକ୍ଷୀର ପ୍ରମୁଖ ଆହାର ।[]

ଆହୁରି ଦେଖନ୍ତୁ

[ସମ୍ପାଦନା]

ଦେବତା ବିନ୍ଧାଣୀ ଚଢ଼େଇ

ପେଚା

କୁଣ୍ଡାଖିଆ ଚଢ଼େଇ

  1. "Burhinus indicus". IUCN Red List of Threatened Species. Version 2015.2. International Union for Conservation of Nature. 2014. Retrieved 28 June 2015. {{cite web}}: Invalid |ref=harv (help)
  2. Whistler, Hugh (1949). Popular handbook of Indian birds (4 ed.). London: Gurney and Jackson. pp. 450–451.
  3. "ଆର୍କାଇଭ୍ କପି". Archived from the original on 2019-10-02. Retrieved 2019-10-02. {{cite web}}: Cite has empty unknown parameter: |1= (help)
  4. ୪.୦ ୪.୧ ୪.୨ ୪.୩ ୪.୪ Ali, Sálim; Ripley, S. Dillon (1978). Handbook of the birds of India and Pakistan : together with those of Bangladesh, Nepal, Bhutan and Sri Lanka. Volume 3 Stone Curlews to Owls (2nd ed.). New Delhi: Oxford University Press. p. 2. ISBN 019565936-8.
  5. ୫.୦ ୫.୧ Rasmussen, Pamela C.; Anderton, John C. Birds of South Asia The Ripley Guide Volume 2: Attributes and Status (2005 ed.). Washington, D.C and Barcelona: Smithsonian Institution and Lynx Edicions. p. 181.
  6. Inskipp, Tim; Collar, N.J (2015). "Notable taxonomic changes proposed for Asian birds in 2014" (PDF). Birding Asia. 24: 64–71.
  7. https://www.iucnredlist.org/species/45111544/95142370

ଅନ୍ୟାନ୍ୟ ଲିଂକ୍

[ସମ୍ପାଦନା]