ସୁମନ କଲ୍ୟାଣପୁର
ସୁମନ କଲ୍ୟାଣପୁର | |
---|---|
Background information | |
ଜନ୍ମ ସମୟରେ ନାମ | ସୁମନ ହେମ୍ମାଦୀ |
ଜନ୍ମ | ଢାକା, ବଙ୍ଗଳାଦେଶ | ୨୮ ଜାନୁଆରୀ ୧୯୩୭
ଶୈଳୀ | ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ, ପ୍ରଚ୍ଛଦପଟ୍ଟ |
ପେଷା | ଗାୟିକା |
କାର୍ଯ୍ୟକାଳ | ୧୯୫୪-୧୯୮୮ |
ସୁମନ କଲ୍ୟାଣପୁର (ଜନ୍ମ ନାମ ସୁମନ ହେମ୍ମାଦୀ; ୨୮ ଜାନୁଆରୀ ୧୯୩୭) ଜଣେ ଭାରତୀୟ ଶାସ୍ତ୍ରୀୟ ଓ ପ୍ରଚ୍ଛଦପଟ୍ଟ ଗାୟିକା ।[୧] ତାଙ୍କ କଣ୍ଠକୁ ସବୁବେଳେ ଲତା ମଙ୍ଗେସକରଙ୍କ ସହ ତୁଳନା କରାଯାଇଥାଏ ।[୨] ୧୯୫୪ ମସିହାରୁ ସୁମନ ପ୍ରଚ୍ଛଦପଟ୍ଟ ଗାୟନ ଆରମ୍ଭ କରିଥିଲେ । ୧୯୬୦ ଓ ୧୯୭୦ ଦଶକରେ ସେ ଜଣେ ଅଗ୍ରଗଣ୍ୟା ପ୍ରଚ୍ଛଦପଟ୍ଟ ଗାୟିକା ଥିଲେ । ସେ ହିନ୍ଦୀ, ବଙ୍ଗଳା, ମରାଠୀ, ଅସମୀୟା , ଭୋଜପୁରୀ, ପଞ୍ଜାବୀ ଓ ଓଡ଼ିଆ ଭାଷାରେ ଅନେକ ଗୀତ ଗାଇଛନ୍ତି ।[୩] ୨୦୨୩ ମସିହାରେ ତାଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୪]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]- ପ୍ରାରମ୍ଭିକ ଜୀବନ
ସୁମନ ୧୯୩୭ ମସିହା ଜାନୁଆରୀ ୨୮ ତାରିଖରେ ଢାକାଠାରେ ଜନ୍ମଗ୍ରହଣ କରିଥିଲେ । ପରିବାର ସାଙ୍ଗିଆ ହିସାବରେ ତାଙ୍କ ନାମ ପ୍ରଥମେ ସୁମନ ହେମ୍ମାଦୀ ଥିଲା । ତାଙ୍କ ପିତାଙ୍କ ନାମ ଶଙ୍କର ରାଓ ହେମ୍ମାଦୀ ଓ ମାତାଙ୍କ ନାମ ସୀତା ହେମ୍ମାଦୀ ଥିଲା । କର୍ଣ୍ଣାଟକ ରାଜ୍ୟର ଉଡ଼ୁପି ଜିଲ୍ଲା ଅନ୍ତର୍ଗତ କୁଣ୍ଡପୁର ତାଲୁକରେ ତାଙ୍କର ପୈତୃକ ଗ୍ରାମ ଥିଲା । ପିତା ଶଙ୍କର ରାଓ ସେଣ୍ଟ୍ରାଲ ବ୍ୟାଙ୍କରେ ଚାକିରୀ କରୁଥିଲେ ଓ ତାଙ୍କୁ ବହୁ ବର୍ଷ ଢାକାରେ ବିତାଇବାକୁ ପଡ଼ିଥିଲା । ସେମାନେ ୫ ଭଉଣୀ ଓ ଜଣିଏ ଭାଇ ଥିଲେ । ସୁମନ ଥିଲେ ପରିବାରର ଜ୍ୟେଷ୍ଠ ସନ୍ତାନ ଥିଲେ । ୧୯୪୩ ମସିହାରେ ହେମ୍ମାଦୀ ପରିବାର ଢାକାରୁ ମୁମ୍ବାଇକୁ ଚାଲି ଆସିଥିଲେ ।
ସୁମନ ପିଲାଦିନୁ ଚିତ୍ରାଙ୍କନ ଓ ସଙ୍ଗୀତ ପ୍ରତି ଆକର୍ଷିତ ଥିଲେ । ସେ ମୁମ୍ବାଇର ଷେଣ୍ଟ କଲମ୍ବା ହାଇସ୍କୁଲରୁ ନିଜ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ସ୍କୁଲ ଶିକ୍ଷାପରେ ସେ ଜେ ଜେ ସ୍କୁଲ ଅଫ ଆର୍ଟସଚିତ୍ରକଳାରେ ଅଧିକ ଶିକ୍ଷା ଆହରଣ ପାଇଁ ନାମ ଲେଖାଇଥିଲେ । ସେହି ସମୟରେ ସେ ପୁନେର ପଣ୍ଡିତ କେଶବ ରାଓ ଭୋଲେଙ୍କଠାରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷାରମ୍ଭ କରିଥିଲେ । ସଙ୍ଗୀତ ପ୍ରତି ତାଙ୍କର ଆକର୍ଷଣ ବଢ଼ିବାରୁ ସେ ପରେ ଉସ୍ତାଦ ଖାନ, ଅବଦୁଲ ରେହମାନ ଖାନ ଓ ଗୁରୁ ମାଷ୍ଟର ନବରଙ୍ଗଙ୍କଠାରୁ ମଧ୍ୟ ସଙ୍ଗୀତ ଶିକ୍ଷା କରିଥିଲେ ।[୫][୬] ସୁମନଙ୍କ ସାନ ଭଉଣୀ ଶ୍ୟାମା ହେମ୍ମାଦୀ ମଧ୍ୟ ଜଣେ କଣ୍ଠଶିଳ୍ପୀ ।
- ବୈବାହିକ ଜୀବନ
୧୯୫୮ ମସିହାରେ ସୁମନ ମୁମ୍ବାଇର ବ୍ୟାପାରୀ ରାମାନନ୍ଦ କଲ୍ୟାଣପୁରଙ୍କୁ ବିବାହ କରିଥିଲେ ଓ ବିବାହ ପରେ ନିଜ ନାମ ସୁମନ ହେମ୍ମାଦୀରୁ ସୁମନ କଲ୍ୟାଣପୁରକୁ ପରିବର୍ତ୍ତୀତ କରିଥିଲେ । ସେମାନଙ୍କ କନ୍ୟା ଚାରୁଲ ଅଗ୍ନୀ ବିବାହ କରି ଯୁକ୍ତରାଷ୍ଟ୍ର ଆମେରିକାରେ ରହନ୍ତି । ତାଙ୍କ ନାତୁଣୀ ଐଶାଣୀ ଅଗ୍ନୀ ମୁମ୍ବାଇଠାରେ ସୁମନଙ୍କ ନାମରେ ଏକ ଏନଜିଓ ସଂସ୍ଥା ସ୍ଥାପନ କରିଛନ୍ତି ।
ବୃତ୍ତିଗତ ଜୀବନ
[ସମ୍ପାଦନା]ସୁମନ, ୧୯୫୨ ମସିହାରେ ଆକାଶବାଣୀର ଏକ କାର୍ଯ୍ୟକ୍ରମରେ ପ୍ରଥମେ ନିଜ କଣ୍ଠଦାନ କରିଥିଲେ । ଏହାପରେ ୧୯୫୩ ମସିହାରେ ସେ ଶୁକ୍ରାଚୀ ଚାନ୍ଦନୀ ନାମକ ଏକ ମରାଠୀ ଚଳଚ୍ଚିତ୍ରରେ କଣ୍ଠଦାନ କରିବାର ସୁଯୋଗ ପାଇଥିଲେ । ହିନ୍ଦୀ ଚଳଚ୍ଚିତ୍ର ପ୍ରଯୋଜକ ଶେଖ ମୁଖତାର ଏହି ଚଳଚ୍ଚିତ୍ରରେ ତାଙ୍କ ସଙ୍ଗୀତ ଶୁଣି ନିଜ ହିନ୍ଦୀ ଚଳଚ୍ଚିତ୍ର ମଙ୍ଗୁରେ ତାଙ୍କୁ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ । ମଙ୍ଗୁ ଚଳଚ୍ଚିତ୍ରରେ ସେ ୩ଟି ଗୀତ ଗାଇଥିଲେ ମଧ୍ୟ, ପରିଶେଷରେ ତାଙ୍କର କେବଳ ଗୋଟିଏ ନାନାବାୟ ଗୀତ ଏହି ଚଳଚ୍ଚିତ୍ରରେ ସ୍ଥାନ ପାଇଥିଲା । ଏହି ଗୀତଟି ଥିଲା କୋଇ ପୁକାରେ ଧିରେ ସେ ତୁଝେ । ମଙ୍ଗୁରେ ପ୍ରଥମ ଗୀତ ଗାଇଥିଲେ ମଧ୍ୟ ଦରୱାଜା ଥିଲା ତାଙ୍କର ରିଲିଜ ହୋଇଥିବା ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର । ପରେ ସେ ହିନ୍ଦୀ ସମେତ ଅନେକ ଭାଷାର ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।
ଲତା ମଙ୍ଗେସକରଙ୍କ ସହ ସୁମନଙ୍କ କଣ୍ଠ ମିଶିଯାଉଥିବାରୁ[୭], ଗୋଟିଏ ସମୟରେ ଲତା ଯେଉଁ ଗୀତ ଗାଇ ପାରୁନଥିଲେ ସେ ସବୁ ଗୀତ ସୁମନ ଗାଉଥିଲେ । ସେ ୭୪୦ରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି । ୧୯୬୦ ଦଶକରେ ମହମ୍ମଦ ରଫିଙ୍କ ସହ ୧୪୦ରୁ ଅଧିକ ଦ୍ୱେତ ସଙ୍ଗୀତରେ କଣ୍ଠଦାନ କରିଛନ୍ତି ।
ଓଡ଼ିଆରେ ସେ ଅନେକ ଗୀତରେ କଣ୍ଠଦାନ କରିଛନ୍ତି । ସେ ଗାଇଥିବା ଦୁଇଟି ପ୍ରମୂଖ ଚଳଚ୍ଚିତ୍ର ଥିଲା ୧୯୭୫ ମସିହାର ସମୟ[୮] ଓ ପ୍ରଥମ ସମ୍ପୂର୍ଣ୍ଣ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର ଗପ ହେଲେ ବି ସତ ।[୯] ସେ ଗାଇଥିବା କିଛି ଲୋକପ୍ରିୟ ଗୀତ :
- ଗୁହାରୀ ଶୁଣ ଭଗବାନ
- ଜୟ ଯଦୁ ନନ୍ଦନ
- ସଜନୀରେ କାହିଁ ଗଲେ ଶ୍ୟାମ
- ସାଥିରେ ମୁଁ ଯେ ଜାଣେନା କାହା ବାଟ
- ଏ ବନର ଛାଇ
- ଗପ ହେଲେ ବି କଥାଟି ସତ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ପଦ୍ମ ଭୂଷଣ - ୨୦୨୩
- ସୁର ଶ୍ରୀନଗର ସଂସଦ ସମ୍ମାନ ୩ଥର
- ଲତା ମଙ୍ଗେସକର ସମ୍ମାନ - ୨୦୦୯( ମହାରାଷ୍ଟ୍ର ସରକାରଙ୍କ ପ୍ରଦତ୍ତ )[୧୦]
- ଗା ଦି ମା ସମ୍ମାନ[୧୧]
ଆଧାର
[ସମ୍ପାଦନା]- ↑ Sukumar Ray (1973). Music of Eastern India: Vocal Music in Bengali, Oriya, Assamese, and Manipuri, with Special Emphasis on Bengali. Firma K. L. Mukhopadhyay. p. 264. Retrieved 14 February 2022.
- ↑ The Other Lata
- ↑ Suman Kalyanpur
- ↑ "ପଦ୍ମଶ୍ରୀ ପାଇଲେ କଣ୍ଢେଇ ନୃତ୍ୟଗୁରୁ ମାଗୁଣି କୁଅଁର : ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ". www.kanaknews.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 3 April 2023. Retrieved 3 April 2023.
- ↑ Suman Kalyapur
- ↑ http://beetehuedin.blogspot.in/2013/09/na-tum-hamein-jaano-suman-kalyanpur.html Meeting with Suman Kalyanpur
- ↑ "Tribute To Lata Mangeshkar – India's Melody Queen, A Beacon Of Inspiration". www.sambadenglish.com. Eastern Media Pvt Ltd. Archived from the original on 14 February 2022. Retrieved 14 February 2022.
- ↑ "Odia classic film 'Samaya' screened in city". www.dailypioneer.com. The Pioneer. Archived from the original on 10 November 2021. Retrieved 14 February 2022.
- ↑ "ପ୍ରଥମ ରଙ୍ଗୀନ ଓଡ଼ିଆ ଚଳଚ୍ଚିତ୍ର 'ଗପ ହେଲେ ବି ସତ'". www.batoi.com. ଓଡ଼ିଶା୩୬୦. Archived from the original on 14 February 2022. Retrieved 14 February 2022.
- ↑ Singer Suman Kalyanpur to be feted
- ↑ सुमन कल्याणपूर यांना ‘गदिमा पुरस्कार’ जाहीर
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୁମନ କଲ୍ୟାଣପୁର
- Suman Kalyanpur: voice of sweetness
- Portrait at Kamat's Potpourri
- Career Woman